ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ଅସ୍ଥାୟୀ କର୍ମଚାରୀ ହେବେ ନିୟମିତ: ୪ ମାସ ମଧ୍ୟରେ ଯୋଜନା ପ୍ରସ୍ତୁତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର:
ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି।
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ବିଭିନ୍ନ ଶାଖାରେ ଦୀର୍ଘ ବର୍ଷ ଧରି ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। କର୍ମଚାରୀଙ୍କ ନିୟମିତକରଣ ପ୍ରସଙ୍ଗରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଆନ୍ଧ୍ରପ୍ରଦେଶ ଗ୍ରାମୀଣ ବିକାଶ ବ୍ୟାଙ୍କର ନିୟମିତକରଣ ଯୋଜନାକୁ ଆଧାର କରି, ଏଠାକାର ଅସ୍ଥାୟୀ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତଙ୍କ ଆଦେଶ ପ୍ରାପ୍ତି ତାରିଖଠାରୁ ମାତ୍ର ୪ ମାସ ମଧ୍ୟରେ ଏହି ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଥିବାବେଳେ ନିୟମିତକରଣ ପ୍ରକ୍ରିୟାରେ କର୍ମଚାରୀଙ୍କ ବରିଷ୍ଠତାକୁ ପ୍ରାଧାନ୍ୟ ଦେବାକୁ ମଧ୍ୟ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ପୂର୍ବରୁ ୨୦୧୯ ମେ ୧୭ ତାରିଖରେ ବ୍ୟାଙ୍କ କର୍ତ୍ତୃପକ୍ଷ ଆବେଦନକାରୀମାନଙ୍କୁ ନିୟମିତ କରାଯାଇପାରିବ ନାହିଁ ବୋଲି ଏକ ନିର୍ଦ୍ଦେଶନାମା ଜାରି କରିଥିଲେ, ଯାହାକୁ ହାଇକୋର୍ଟ ଏବେ ରଦ୍ଦ କରିଛନ୍ତି। ଅପୂର୍ବ ରଞ୍ଜନ ମହାନ୍ତି ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ପୃଥକ ପୃଥକ ମାମଲାର ଏକତ୍ର ଶୁଣାଣି କରି ହାଇକୋର୍ଟଙ୍କ ମାନ୍ୟବର ବିଚାରପତି ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ଏହି ରାୟ ପ୍ରଦାନ କରିଛନ୍ତି। ଏହି ମକଦ୍ଦମାକୁ ଆଡ୍ଭୋକେଟ୍ ବିକ୍ରମ ସେନାପତି ଅତ୍ୟନ୍ତ ଦକ୍ଷତାର ସହିତ ପରିଚାଳନା କରିଥିଲେ।
ସୂଚନାଯୋଗ୍ୟ ଯେ, ଆବେଦନକାରୀମାନେ ଦୀର୍ଘବର୍ଷ ଧରି ବ୍ୟାଙ୍କର ବିଭିନ୍ନ ଶାଖାରେ ଡ୍ରାଇଭର, ସ୍ୱିପର, ମେସେଞ୍ଜର, ଡିଟିପି ଅପରେଟର, ଆଇଟି ଇଲେକ୍ଟ୍ରିସିଆନ ଓ ଆଇଟି ନେଟୱର୍କିଂ ଭଳି ଜରୁରୀ କାର୍ଯ୍ୟରେ ଅସ୍ଥାୟୀ ଭାବେ ନିୟୋଜିତ ହୋଇ ଆସୁଥିଲେ।
ରାଜ୍ୟରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ପ୍ରାୟ ୫୦୦ରୁ ଅଧିକ ଶାଖା ରହିଥିବାବେଳେ ବିଭିନ୍ନ ସମୟରେ ଏହି ଶାଖାଗୁଡ଼ିକରେ ବହୁ କର୍ମଚାରୀଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଥିଲା। ଦୀର୍ଘ ଦିନ ଧରି ନିଷ୍ଠାର ସହ ସେବା ଯୋଗାଇ ଆସୁଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ କରାଯାଉ ନଥିବାରୁ କର୍ମଚାରୀମାନେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ନିଜ ପକ୍ଷର ଯୁକ୍ତି ରଖି ଆବେଦନକାରୀମାନେ ୧୯୯୦ ଏପ୍ରିଲ ୩୦ ତାରିଖରେ ଜାତୀୟ ଶିଳ୍ପ ଟ୍ରିବ୍ୟୁନାଲ ପ୍ରଦାନ କରିଥିବା ଅୱାର୍ଡ ତଥା ଅନ୍ୟ ରାଜ୍ୟର ହାଇକୋର୍ଟଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାୟର ଆଶ୍ରୟ ନେଇଥିଲେ।
ଅନ୍ୟପକ୍ଷରେ, ନିଯୁକ୍ତି ସମୟରେ ଆଇନଗତ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ କରାଯାଇ ନଥିବା ଦର୍ଶାଇ ବ୍ୟାଙ୍କ କର୍ତ୍ତୃପକ୍ଷ ନିୟମିତକରଣ ଦାବିକୁ ବିରୋଧ କରିଥିଲେ। ତେବେ ମାମଲାର ସମସ୍ତ ଦିଗ ଏବଂ ଅନ୍ୟାନ୍ୟ ରାଜ୍ୟର ନ୍ୟାୟିକ ଦୃଷ୍ଟାନ୍ତକୁ ବିଚାରକୁ ନେଇ ହାଇକୋର୍ଟ ଏହି ଯୋଜନା ପ୍ରସ୍ତୁତ କରିବାକୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦିନରେ ଏହି ଯୋଜନା ପ୍ରସ୍ତୁତ ହେବା ପରେ ଆବେଦନକାରୀମାନେ ଯେଉଁ ପଦବୀରେ କାର୍ଯ୍ୟ କରୁଛନ୍ତି କିମ୍ବା ସମାନ ପ୍ରକୃତିର ଅନ୍ୟ ପଦବୀରେ ସେମାନଙ୍କୁ ନିୟମିତ କରିବା ପ୍ରକ୍ରିୟା ଆଗକୁ ବଢ଼ିବ। ବର୍ତ୍ତମାନ ବ୍ୟାଙ୍କ କର୍ତ୍ତୃପକ୍ଷ ୪ ମାସ ଭିତରେ କିଭଳି ଏହି ଯୋଜନା ପ୍ରସ୍ତୁତ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

