ସରିଲା ପ୍ରସ୍ତୁତି: ନଭେମ୍ବର ୧୩ରୁ ୧୫ ରାଉରକେଲାରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ରାଜ୍ୟସ୍ତରୀୟ ଟ୍ରେନିଂ କ୍ୟାମ୍ପ ।
ଭୁବନେଶ୍ୱର (ଖୋର୍ଦ୍ଧା):ଡିଜିଟାଲ ମିଡ଼ିଆ ସାମ୍ବାଦିକମାନଙ୍କ ଦକ୍ଷତା ବୃଦ୍ଧି ଓ ବୃତ୍ତିଗତ ଜ୍ଞାନର ବିକାଶ ଲକ୍ଷ୍ୟରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM) ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ନଭେମ୍ବର ୧୩, ୧୪ ଓ ୧୫ ତାରିଖରେ ଇସ୍ପାତ ସହର ରାଉରକେଲାଠାରେ ତିନିଦିନିଆ ରାଜ୍ୟସ୍ତରୀୟ ଟ୍ରେନିଂ କ୍ୟାମ୍ପ ଆୟୋଜିତ ହେବାକୁ ଯାଉଛି। ଏଥିପାଇଁ ମହାସଂଘ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇସାରିଛି।
୩୦ଟି ଜିଲ୍ଲାରୁ ଯୋଗଦେବେ ସାମ୍ବାଦିକ
ଏହି ପ୍ରଶିକ୍ଷଣ ଶିବିରରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ଅନ୍ୟୂନ ୨ ଜଣ ଲେଖାଏଁ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଡିଜିଟାଲ ସାମ୍ବାଦିକତାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ, ଆଇନଗତ ନିୟମାବଳୀ ଓ ବୈଷୟିକ କୌଶଳ ଉପରେ ରାଜ୍ୟର ବିଶିଷ୍ଟ ମିଡ଼ିଆ ବିଶେଷଜ୍ଞ ଓ ଅଭିଜ୍ଞ ପ୍ରଶିକ୍ଷକମାନେ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ପ୍ରଦାନ କରିବେ।
ଟ୍ରେନିଂ କ୍ୟାମ୍ପର ମୁଖ୍ୟ ଉଦ୍ଦେଶ୍ୟ ରହିଛି ସାମ୍ବାଦିକା ମାନଙ୍କ
ଦକ୍ଷତା ଓ ମାନ ବୃଦ୍ଧି ଏବଂ ବର୍ତ୍ତମାନର ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ଡିଜିଟାଲ ସାମ୍ବାଦିକମାନଙ୍କୁ ଅଧିକ ଦକ୍ଷ, ଦାୟିତ୍ୱବାନ, ନୈତିକ ଏବଂ ବୈଷୟିକ ଜ୍ଞାନସମ୍ପନ୍ନ କରିବା।
ଆଞ୍ଚଳିକ ସମନ୍ୱୟ: ରାଜ୍ୟର କୋଣଅନୁକୋଣରୁ ଆସୁଥିବା ସାମ୍ବାଦିକମାନଙ୍କ ମଧ୍ୟରେ ଅଭିଜ୍ଞତାର ଆଦାନପ୍ରଦାନ ଏବଂ ସାଂଗଠନିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହା ସହିତ
ବୃତ୍ତିଗତ ସୁରକ୍ଷା ଓ ଡିଜିଟାଲ ଗଣମାଧ୍ୟମକୁ ଏକ ସୁଦୃଢ଼, ସଂଗଠିତ ଓ ସମ୍ମାନଜନକ ମଞ୍ଚରେ ପରିଣତ କରିବା ।
ମହାସଂଘର ପ୍ରୟାସ ରହିଛି "ରାଜ୍ୟର ଡିଜିଟାଲ ମିଡ଼ିଆ ସାମ୍ବାଦିକଙ୍କୁ ଏକତ୍ରିତ କରିବା ସହ ସେମାନଙ୍କ ବୃତ୍ତିଗତ ଦକ୍ଷତା ବିକାଶ ଦିଗରେ ଏହି ତିନିଦିନିଆ ପ୍ରଶିକ୍ଷଣ ଶିବିର ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।"

