ଛତ୍ରପୁରରେ ଡିଭାଇଡରରେ ପିଟିଲା ନୂଆ ଇନୋଭା; ଅଳ୍ପକେ ବର୍ତ୍ତିଲେ ୭ ଜଣ
(ଛତ୍ରପୁର)(ଆଦ୍ୟାଶା)ରାହୁଲ ସାହୁ :
ଛତ୍ରପୁର ଦୟା ପେଟ୍ରୋଲ ପମ୍ପ ନିକଟରେ ଏକ ନୂଆ ଟୋୟୋଟା ଇନୋଭା ଦୁର୍ଘଟଣାଗ୍ରସ୍ତ ହୋଇଛି। ରାୟଗଡ଼ା ଅଞ୍ଚଳର ଜଣେ ବ୍ୟକ୍ତି ଭୁବନେଶ୍ୱରରୁ ନୂଆ ଗାଡ଼ି କିଣି ପରିବାର ସହ ରାୟଗଡ଼ା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଗାଡ଼ିରେ ମାଲିକଙ୍କ ସହ ତାଙ୍କ ପତ୍ନୀ, ସାନଭାଇ ଓ ୪ ଜଣ ଶିଶୁ ଯାତ୍ରା କରୁଥିଲେ। ଦୟା ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚିବା ପରେ କୌଣସି କାରଣରୁ ଇନୋଭାଟି ଭାରସାମ୍ୟ ହରାଇଥିଲା। ଫଳରେ ଗାଡ଼ିଟି ରାସ୍ତା ମଝିରେ ଥିବା ଡିଭାଇଡରରେ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଗାଡ଼ିଟି ଡିଭାଇଡରରେ ଲାଗିଥିବା ଲୁହା ଉପରକୁ ଚଢ଼ିଯାଇଥିଲା।
ଦୁର୍ଘଟଣା ପରେ ଗାଡ଼ିର ସାମ୍ନା ଭାଗ ସମେତ ବିଭିନ୍ନ ଅଂଶ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ତେବେ ସୌଭାଗ୍ୟବଶତଃ ଗାଡ଼ିରେ ଥିବା ସମସ୍ତ ୭ ଜଣ ଅଳ୍ପକେ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି। କାହାରି ଗୁରୁତର ଆହତ ହୋଇଥିବା ସୂଚନା ମିଳିନାହିଁ।
ନୂଆ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଉପରେ ଥିବାରୁ ଘଟଣାସ୍ଥଳରେ କିଛି ସମୟ ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ତେବେ ଗାଡ଼ିଟି କେଉଁ କାରଣରୁ ଭାରସାମ୍ୟ ହରାଇଲା, ତାହା ସ୍ପଷ୍ଟ ହୋଇନଥିବା ବେଳେ ଘଟଣାର କାରଣ ନେଇ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

