ଅନୁଗୋଳ: ଡିଜିଟାଲ ମିଡ଼ିଆ ସାମ୍ବାଦିକଙ୍କ ଦକ୍ଷତା ବୃଦ୍ଧି ଓ ବୃତ୍ତିଗତ ଜ୍ଞାନର ବିକାଶ ଲକ୍ଷ୍ୟରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM) ପକ୍ଷରୁ ଆସନ୍ତା ନଭେମ୍ବର ୧୩, ୧୪ ଓ ୧୫ ତାରିଖରେ ରାଉରକେଲାଠାରେ ଏକ ତିନିଦିନିଆ ରାଜ୍ୟସ୍ତରୀୟ ଟ୍ରେନିଂ କ୍ୟାମ୍ପ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ପାଇଁ ମହାସଂଘ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି।
ଏହି ଟ୍ରେନିଂ କ୍ୟାମ୍ପରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ଅନ୍ୟୂନ ଦୁଇଜଣ ଲେଖାଏଁ ସଦସ୍ୟ ସାମ୍ବାଦିକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଡିଜିଟାଲ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ଅଭିଜ୍ଞ ଓ ବିଶିଷ୍ଟ ପ୍ରଶିକ୍ଷକମାନେ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ପ୍ରଦାନ କରିବେ।
ବର୍ତ୍ତମାନର ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ସାମ୍ବାଦିକମାନଙ୍କୁ ଅଧିକ ଦକ୍ଷ, ଦାୟିତ୍ୱବାନ ଓ ବୈଷୟିକ ଜ୍ଞାନସମ୍ପନ୍ନ କରିବା ସହ ଡିଜିଟାଲ ସାମ୍ବାଦିକତାର ମାନ ବୃଦ୍ଧି କରିବା ଏହି କ୍ୟାମ୍ପର ପ୍ରମୁଖ ଉଦ୍ଦେଶ୍ୟ। ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାର ସାମ୍ବାଦିକଙ୍କ ମଧ୍ୟରେ ସମନ୍ୱୟ, ଅଭିଜ୍ଞତା ଆଦାନପ୍ରଦାନ ଓ ସାଂଗଠନିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାରେ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ମହାସଂଘ ଆଶା ପ୍ରକାଶ କରିଛି।
ରାଜ୍ୟର ଡିଜିଟାଲ ମିଡ଼ିଆ ସାମ୍ବାଦିକଙ୍କୁ ଏକ ସୁଦୃଢ଼ ମଞ୍ଚରେ ଏକତ୍ରିତ କରିବା ସହ ସେମାନଙ୍କର ବୃତ୍ତିଗତ ଦକ୍ଷତା ବିକାଶ ଦିଗରେ ଏହି ତିନିଦିନିଆ ପ୍ରଶିକ୍ଷଣ ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି।

