ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲେ ବ୍ରଜ ମୋହନ ରାମ ।
ଭୁବନେଶ୍ୱର, ୧୩ ଅକ୍ଟୋବର: ଓଡ଼ିଶାର ସାମ୍ବିଧାନିକ ମୁଖ୍ୟ ପଦବୀରେ ବଡ଼ଧରଣର ଅଦଳବଦଳ ହୋଇଛି। ଝାଡ଼ଖଣ୍ଡର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତି ପ୍ରସ୍ତାବରେ ମୋହର ମାରିବା ସହ ଏକ ଆଧିକାରିକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେ ବର୍ତ୍ତମାନର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେବେ।
ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, କେବଳ ଓଡ଼ିଶା ନୁହେଁ, ଦେଶର ମୋଟ ୬ଟି ରାଜ୍ୟରେ ରାଜ୍ୟପାଳଙ୍କ ଅଦଳବଦଳ ଓ ନୂତନ ନିଯୁକ୍ତି କରାଯାଇଛି। ଏହି କ୍ରମରେ ଓଡ଼ିଶାର ଦାୟିତ୍ୱ ବ୍ରଜ ମୋହନ ରାମଙ୍କୁ ମିଳିଥିବା ବେଳେ ସୁଧା ଯାଦବଙ୍କୁ କର୍ଣ୍ଣାଟକ, ଡକ୍ଟର ଢାଲ ସିଂ ବିସେନଙ୍କୁ ଉତ୍ତରାଖଣ୍ଡ ଏବଂ ଦୁଷ୍ୟନ୍ତ ଗୌତମଙ୍କୁ ସିକ୍କିମର ରାଜ୍ୟପାଳ ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ସିକ୍କିମର ରାଜ୍ୟପାଳ ଓମ୍ ପ୍ରକାଶ ମାଥୁରଙ୍କୁ କେରଳ ଏବଂ କେରଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ତାମିଲନାଡୁର ପୂର୍ଣ୍ଣକାଳୀନ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।
ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ମନୋନୀତ ହୋଇଥିବା ୬୮ ବର୍ଷୀୟ ବ୍ରଜ ମୋହନ ରାମ ହେଉଛନ୍ତି ଜଣେ ପ୍ରତିଷ୍ଠିତ ଦଳିତ ନେତା। ଝାଡ଼ଖଣ୍ଡର ପଲାମୁ ଜିଲ୍ଲାର ବାସିନ୍ଦା ଶ୍ରୀ ରାମ ରାଞ୍ଚି ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି। ସେ ପଲାମୁ ଲୋକସଭା ଆସନରୁ କ୍ରମାଗତ ତିନିଥର (୧୯96, ୧୯୯୮ ଏବଂ ୧୯୯୯) ବିଜେପି ଟିକେଟରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ସେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ଅବିଭକ୍ତ ବିହାର ବିଧାନସଭାର ସଦସ୍ୟ (ବିଧାୟକ) ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ସେ ଝାଡ଼ଖଣ୍ଡ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାର ପ୍ରଭାରୀ ଦାୟିତ୍ୱରେ ରହିଛନ୍ତି।
ଶ୍ରୀ ବ୍ରଜ ମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' (X) ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, "ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବାରୁ ଶ୍ରୀ ବ୍ରଜ ମୋହନ ରାମ ଜୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଏକ ସମୃଦ୍ଧ, ସମାବେଶୀ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆମର ମିଳିତ ପ୍ରୟାସରେ ତାଙ୍କର ମାର୍ଗଦର୍ଶନ ଏବଂ ସହଯୋଗ ମିଳିବ ବୋଲି ମୁଁ ଆଶାବାଦୀ।"
ନୂତନ ରାଜ୍ୟପାଳ ନିଜ ପଦବୀର କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ହିଁ ଏହି ନିଯୁକ୍ତି ପ୍ରଭାବଶାଳୀ ହେବ ବୋଲି ସୂଚନା ମିଳିଛି। ଖୁବ୍ଶୀଘ୍ର ସେ ଭୁବନେଶ୍ୱର ପହଞ୍ଚି ରାଜଭବନଠାରେ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିବେ।

