ଗୁରୁ ଦିବସରେ ଶିକ୍ଷକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ: "ପାଠ୍ୟପୁସ୍ତକ ଓ ସିଲାବସ୍ ବାହାରକୁ ଆସି ପିଲାଙ୍କ ଜୀବନ ସହ ଯୋଡ଼ିହୁଅ"
ନୂଆଦିଲ୍ଲୀ :ଗୁରୁ ଦିବସ ଅବସରରେ ଦେଶର ଶିକ୍ଷକ ସମାଜକୁ ଏକ ବିଶେଷ ଆହ୍ୱାନ ଓ ମାର୍ଗଦର୍ଶନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କେବଳ ପାଠ୍ୟପୁସ୍ତକ ଓ ସିଲାବସ୍ ମଧ୍ୟରେ ସୀମିତ ନରହି, ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ଜୀବନ, ସେମାନଙ୍କ ଆଚରଣ ଓ ମାନସିକ ସ୍ଥିତିକୁ ବୁଝିବା ପାଇଁ ସେ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି।
ଜାତୀୟ ଶିକ୍ଷକ ପୁରସ୍କାରପ୍ରାପ୍ତ ଶିକ୍ଷକମାନଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, "ଆମକୁ ବହି ଓ ସିଲାବସରୁ ବାହାରି ପିଲାଙ୍କ ଜୀବନ ଭିତରେ ପ୍ରବେଶ କରିବାକୁ ହେବ। ପିଲାଟିଏ କେବଳ ପାଠରେ ଭଲ ନହୋଇପାରେ, କିନ୍ତୁ ଭଗବାନ ତାଙ୍କୁ କୌଣସି ନା କୌଣସି ଅନ୍ତର୍ନିହିତ ଗୁଣ ଦେଇଥାନ୍ତି। ସେହି ପ୍ରତିଭାକୁ ଚିହ୍ନି ପ୍ରୋତ୍ସାହିତ କରିବା ଗୁରୁଙ୍କ ପ୍ରଧାନ କର୍ତ୍ତବ୍ୟ।"
ପ୍ରଧାନମନ୍ତ୍ରୀମୋଦୀ ଅହୁରି କହିଥିଲେ ଯେ ପିଲା ମାନଙ୍କ
ବ୍ୟବହାରିକ ପରିବର୍ତ୍ତନ ଉପରେ ନଜର ଦେବା ଆବଶ୍ୟକ, କେବଳ ମାର୍କସିଟ୍ ନଦେଖି ପିଲାଙ୍କ ଦୈନନ୍ଦିନ ବ୍ୟବହାରିକ ପରିବର୍ତ୍ତନ ଉପରେ ତୀକ୍ଷ୍ଣ ନଜର ରଖିବା ଉଚିତ୍।
ସ୍କ୍ରିନ୍ ଟାଇମ୍ ଓ ମୋବାଇଲ୍ ଆସକ୍ତି କମାଇବା: ବର୍ତ୍ତମାନର ଅତ୍ୟଧିକ ସ୍କ୍ରିନ୍ ଟାଇମ୍ (ମୋବାଇଲ୍/କମ୍ପ୍ୟୁଟର ବ୍ୟବହାର) ରୁ ପିଲାଙ୍କୁ ଦୂରେଇବା ପାଇଁ ଖେଳକୁଦ, ଶାରୀରିକ କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟରେ ନିୟୋଜିତ କରିବାକୁ ସେ ଆହ୍ୱାନ ଦେଇଛନ୍ତି।ପ୍ରତ୍ୟେକ ଶିଶୁର କୌତୂହଳ ଓ ନିଷ୍କପଟ ପିଲାଦିନ ଯେପରି ହଜି ନଯାଏ, ସେଥିପାଇଁ ଗୁରୁମାନେ ସେମାନଙ୍କୁ ସଠିକ୍ ଦିଗଦର୍ଶନ ଦେବା ଆବଶ୍ୟକ। ଛାତ୍ରଛାତ୍ରୀଙ୍କୁ ବାହାର ଦୁନିଆ ଓ ସାମାଜିକ କାର୍ଯ୍ୟ ସହ ଯୋଡ଼ିବା ସହ ସବୁ ପ୍ରକାର ଶ୍ରମ ଓ ପେଷାକୁ ସମ୍ମାନ ଦେବା ଶିଖାଇବା ଗୁରୁଙ୍କ ନୈତିକ ଦାୟିତ୍ୱ।
ଭାରତକୁ 'ବିକଶିତ ଭାରତ'ରେ ପରିଣତ କରିବାରେ ଶିକ୍ଷକମାନଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରି ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ଶିକ୍ଷକ ସମାଜକୁ ଗୁରୁ ଦିବସର ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି।

