ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ଐତିହାସିକ ଏକଦିନିଆ ଧର୍ମଘଟ
୨,୪୦୦ରୁ ଅଧିକ ଅଧିକାରୀ ଓ କର୍ମଚାରୀ ସାମିଲ, ପ୍ରାୟ ୯୦% ଶାଖା ବନ୍ଦ ।
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀଙ୍କ ବିଭିନ୍ନ ଦୀର୍ଘଦିନର ସମସ୍ୟା ଏବଂ ନ୍ୟାୟସଙ୍ଗତ ଦାବିର ସମାଧାନ ଦାବିରେ ଆଜି ଏକଦିନିଆ ଧର୍ମଘଟ ଅନୁଷ୍ଠିତ ହୋଇଛି। AOGBO ଓ OGBEAର ମିଳିତ ଆହ୍ୱାନରେ ହୋଇଥିବା ଏହି ଧର୍ମଘଟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨,୪୦୦ରୁ ଅଧିକ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିବା ର ଜଣାପଡ଼ିଛି।
ଭୁବନେଶ୍ୱରସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ୧,୦୦୦ ଅଧିକାରୀ ଓ କର୍ମଚାରୀଙ୍କ ବିଶାଳ ସମାବେଶ ଓ ପ୍ରତିବାଦ ଅନୁଷ୍ଠିତ ହୋଇଥିଲା। ବ୍ୟାଙ୍କର ୯୦୦ରୁ ଅଧିକ ଶାଖା ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଶାଖା ବନ୍ଦ ରହିଥିବା ସହ ପ୍ରାୟ ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିବା ଦାବି କରାଯାଇଛି। ଏହା ଫଳରେ ବ୍ୟାଙ୍କର ସାଧାରଣ କାର୍ଯ୍ୟକଳାପ ଓ ଗ୍ରାହକ ସେବା ପ୍ରଭାବିତ ହୋଇଥିବା ର ସୂଚନା ମିଳିଛି।
AOGBO ଓ OGBEA ପକ୍ଷରୁ ୭ ଜୁଲାଇ ୨୦୨୬ରେ ବ୍ୟାଙ୍କ ପରିଚାଳନାକୁ ୨୦-ଦଫା ଦାବିପତ୍ର ଦିଆଯାଇଥିଲା। ଦାବିଗୁଡ଼ିକ ମଧ୍ୟରେ ଉଭୟ ସଂଗଠନକୁ ଔପଚାରିକ ସ୍ୱୀକୃତି, ୨୦୨୬ର ଅନିୟମିତ ବଦଳିର ପୁନର୍ବିଚାର, DFS Transfer Policyର ସମ୍ପୂର୍ଣ୍ଣ କାର୍ଯ୍ୟକାରୀକରଣ, ୧୨ତମ Bipartite Settlement ଓ ୯ମ Joint Noteର କାର୍ଯ୍ୟକାରୀକରଣ ଆଦି ରହିଛି।
ଏଥିସହ Overtime Allowance ଓ Officiating Allowance ଲାଗୁ କରିବା, Staff Loanର ସୁଧ ହ୍ରାସ ଓ ଋଣ ସୀମା ବୃଦ୍ଧି, Sponsored Bank ସହ ସମାନ ଭତ୍ତା, ଖାଲି ପଦବୀଗୁଡ଼ିକୁ ଶୀଘ୍ର ପ୍ରତ୍ୟକ୍ଷ ନିଯୁକ୍ତିରେ ପୂରଣ, ଶାଖାଗୁଡ଼ିକର ଭିତ୍ତିଭୂମି ବିକାଶ ଓ AC ବ୍ୟବସ୍ଥା, କର୍ମଚାରୀ ସୁରକ୍ଷା ପାଇଁ Armed Security Guard ଓ Cash Van ବ୍ୟବସ୍ଥା ଏବଂ ପଦୋନ୍ନତି ପ୍ରକ୍ରିୟାରେ ସ୍ୱଚ୍ଛତା ଭଳି ଦାବି ରହିଛି।
କର୍ମଚାରୀଙ୍କ ଅଭିଯୋଗର ଶୀଘ୍ର ସମାଧାନ ସହ CSA/Senior CSAଙ୍କ designation, seniority ଓ service benefits ସୁରକ୍ଷା ପାଇଁ ମଧ୍ୟ ଦାବି କରାଯାଇଛି। ଦାବିଗୁଡ଼ିକର ସମାଧାନ ନହେବାରୁ ୨୩ ଜୁଲାଇରୁ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଆରମ୍ଭ ହୋଇ ଶେଷରେ ୧୭ ଅଗଷ୍ଟରେ ଏକଦିନିଆ ଧର୍ମଘଟ ଘୋଷଣା କରାଯାଇଥିଲା।
ଧର୍ମଘଟ ଏଡ଼ାଇବା ଏବଂ ଦାବିଗୁଡ଼ିକର ସମାଧାନ ପାଇଁ ୧୨ ଅଗଷ୍ଟ ୨୦୨୬ରେ AOGBO, OGBEA ଓ ବ୍ୟାଙ୍କ ପରିଚାଳନା ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଆଲୋଚନାରେ ବିଭିନ୍ନ ଦାବି ଉପରେ ପରିଚାଳନା ପକ୍ଷରୁ ଆଶ୍ୱାସନ ଓ ସମୟସୀମା ଦିଆଯାଇଥିବା ଦାବି କରାଯାଇଛି।
୧୩ ଅଗଷ୍ଟରେ ଆଲୋଚନାର Minutes of Discussion ପରିଚାଳନାକୁ ସ୍ୱାକ୍ଷର ପାଇଁ ଦାଖଲ କରାଯାଇଥିଲା। କିନ୍ତୁ ୧୪ ଅଗଷ୍ଟରେ ପରିଚାଳନା ମିନିଟ୍ସରେ ସ୍ୱାକ୍ଷର କରିବାକୁ ମନା କରିଥିବାରୁ ଧର୍ମଘଟ ପ୍ରତ୍ୟାହାର କରିବା ସମ୍ଭବ ହୋଇନଥିବା ସଂଗଠନଗୁଡ଼ିକ ପକ୍ଷରୁ କୁହାଯାଇଛି।
AOGBO ଓ OGBEA ପକ୍ଷରୁ ଏହି ଧର୍ମଘଟକୁ ଐତିହାସିକ ସଫଳତା ବୋଲି ଅଭିହିତ କରାଯାଇଛି। ପ୍ରାୟ ୨,୪୦୦ ଅଧିକାରୀ ଓ କର୍ମଚାରୀଙ୍କ ଅଂଶଗ୍ରହଣ, ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ପ୍ରାୟ ୧,୦୦୦ କର୍ମଚାରୀଙ୍କ ସମାବେଶ, ପ୍ରାୟ ୯୦ ପ୍ରତିଶତ ଶାଖା ବନ୍ଦ ଏବଂ ପ୍ରାୟ ସମସ୍ତ Regional Office ବନ୍ଦ ରହିବା ଦାବିଗୁଡ଼ିକ ପ୍ରତି କର୍ମଚାରୀଙ୍କ ବ୍ୟାପକ ସମର୍ଥନକୁ ଦର୍ଶାଉଛି ବୋଲି ସଂଗଠନ ଦାବି କରିଛି।
AOGBO ଓ OGBEA ପକ୍ଷରୁ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପରିଚାଳନାକୁ ୧୨ ଅଗଷ୍ଟର ଆଲୋଚନାରେ ଦିଆଯାଇଥିବା ଆଶ୍ୱାସନଗୁଡ଼ିକୁ ଲିଖିତ ଭାବେ ରେକର୍ଡ କରି ଶୀଘ୍ର କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦିଆଯାଇଛି। କର୍ମଚାରୀଙ୍କ ନ୍ୟାୟସଙ୍ଗତ ଦାବି, ମର୍ଯ୍ୟାଦା, ସୁରକ୍ଷା, ମାନବ ସମ୍ବଳ, ସ୍ୱଚ୍ଛ ବଦଳି ଓ ପଦୋନ୍ନତି ବ୍ୟବସ୍ଥା ଏବଂ ସୁସ୍ଥ ଶିଳ୍ପ ସମ୍ପର୍କ ଏକ ଶକ୍ତିଶାଳୀ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ଆଧାର ବୋଲି ସଂଗଠନଗୁଡ଼ିକ କହିଛନ୍ତି।
ଧର୍ମଘଟ ଯୋଗୁଁ ଗ୍ରାହକମାନେ ଭୋଗିଥିବା ଅସୁବିଧା ପାଇଁ AOGBO ଓ OGBEA ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ଦୀର୍ଘଦିନ ଧରି ସମାଧାନର ପ୍ରୟାସ ବିଫଳ ହେବା ପରେ ଧର୍ମଘଟକୁ ଶେଷ ଗଣତାନ୍ତ୍ରିକ ପଦକ୍ଷେପ ଭାବେ ଗ୍ରହଣ କରାଯାଇଥିବା ସଂଗଠନ ପକ୍ଷରୁ କୁହାଯାଇଛି।
AOGBO ପକ୍ଷରୁ ସଭାପତି ମାନଭଞ୍ଜନ ମିଶ୍ର, ଏବଂ ସଧାରଣ ସମ୍ପାଦକ ପିତାବାସ ଜେନା ,OGBEA ପକ୍ଷରୁ: ସଭାପତି ବିଶ୍ଵ ଜିତ ମିଶ୍ର, ଏବଂ ସଧାରଣ ସମ୍ପାଦକ ହୃଷିପ୍ରକାଶ ପାତ୍ର ସହିତ ଦୁଇ ସଙ୍ଗଠନ ଅନେକ କର୍ମ କର୍ତ୍ତା ଉପସ୍ଥିତ ରହି ଥିବାର ଦେଖା ଯାଇଥିଲା।


