FLASH!
Back to Web News

ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ କାଉଡ଼ିଆଙ୍କ ମହାସମାଗମ: ‘ବୋଲ୍‌ ବମ୍‌’ ଧ୍ୱନିରେ ପ୍ରକମ୍ପିତ ହେଲା ଶୈବପୀଠ ।

ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ କାଉଡ଼ିଆଙ୍କ ମହାସମାଗମ: ‘ବୋଲ୍‌ ବମ୍‌’ ଧ୍ୱନିରେ ପ୍ରକମ୍ପିତ ହେଲା ଶୈବପୀଠ ।

ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ କାଉଡ଼ିଆଙ୍କ ମହାସମାଗମ: ‘ବୋଲ୍‌ ବମ୍‌’ ଧ୍ୱନିରେ ପ୍ରକମ୍ପିତ ହେଲା ଶୈବପୀଠ ।

ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵର

ନୀଳଗିରି: ଶ୍ରାବଣ ମାସର ଚତୁର୍ଥ ସୋମବାର ଅବସରରେ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁ ଓ କାଉଡ଼ିଆଙ୍କ ଅଦ୍ଭୁତପୂର୍ବ ଭିଡ଼ ଦେଖିବାକୁ ମିଳିଛି । ସାରା ଅଞ୍ଚଳ କାଉଡ଼ିଆଙ୍କ "ବୋଲ୍ ବମ୍, ହର ହର ବମ୍" ଏବଂ "ଭୋଲାବାବା ପାର୍ କରେଗା" ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ପବିତ୍ର ଜଳ ଧରି ବାବାଙ୍କ ଜଳାଭିଷେକ ପାଇଁ ଏଠାରେ ପହଞ୍ଚିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଶ୍ରଦ୍ଧାଳୁମାନେ ବାଲେଶ୍ୱରର ବାଲିଘାଟ, ନୀଳଗିରିର କାଠପାଳ ଏବଂ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ସ୍ଥିତ ସୋନ ନଦୀରୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ଜଳ ଉଠାଇଥିଲେ । ଏହାପରେ ଦୀର୍ଘ ପଥ ପାଦରେ ଚାଲି ଚାଲି ଆସି ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ପୀଠର ୩୧୧ଟି ପାହାଚ ଚଢ଼ି ଶୃଙ୍ଖଳିତ ଭାବେ ଲାଇନରେ ଛିଡ଼ା ହୋଇଥିଲେ । ରବିବାର ରାତ୍ରି ୧୨ଟା ପରଠାରୁ ହିଁ ମହାଦେବଙ୍କ ପୀଠରେ ଜଳାଭିଷେକ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା ।

ପର୍ବତମାଳାର ଏକ ଚିରସ୍ରୋତା ଝରଣାର ପଥର ଖୋଲ ମଧ୍ୟରେ ସ୍ୱୟଂ ପ୍ରକଟ ହୋଇଥିବା ୫ଟି ପ୍ରାକୃତିକ ଶିବଲିଙ୍ଗ ବାବା ପଞ୍ଚଲିଙ୍ଗେଶ୍ୱର ଭାବେ ପୂଜା ପାଇଆସୁଛନ୍ତି । ତେବେ ଚଳିତ ବର୍ଷ ପ୍ରଖର ଜଳସ୍ରୋତ ଯୋଗୁଁ କାଉଡ଼ିଆ ଏବଂ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସୁରକ୍ଷା କାରଣରୁ ଶିବଲିଙ୍ଗ ସ୍ପର୍ଶ ଉପରେ କଟକଣା ଜାରି କରାଯାଇଛି । ଭକ୍ତ ଓ କାଉଡ଼ିଆମାନେ କେବଳ ପୂଜାମଣ୍ଡପ ପର୍ଯ୍ୟନ୍ତ ଯାଇ ବାବାଙ୍କ ଶୃଙ୍ଖଳିତ ଦର୍ଶନ ସହ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି ।

ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁଁ ଶେରଗଡ଼ରୁ ନୀଳଗିରି, ଛତ୍ରପୁରରୁ ନୀଳଗିରି ଏବଂ ମିତ୍ରପୁର-ସନ୍ତରାଗଡ଼ିଆ ରାସ୍ତାରେ କାଉଡ଼ିଆଙ୍କ ଦୀର୍ଘ ଲାଇନ୍‌ ଦେଖିବାକୁ ମିଳିଥିଲା । କାଉଡ଼ିଆମାନଙ୍କ ଯାତ୍ରାକୁ ସହଜ କରିବା ପାଇଁ ବିଭିନ୍ନ ସେବାଭାବୀ ଅନୁଷ୍ଠାନ ପକ୍ଷରୁ ରାସ୍ତା ପାର୍ଶ୍ୱରେ ଜଳଛତ୍ର, ବିଶ୍ରାମ ଗୃହ ଏବଂ ସେବା ଶିବିରମାନ ପ୍ରତିଷ୍ଠା କରାଯାଇ ଖାଦ୍ୟ ଓ ପାନୀୟର ସୁବ୍ୟବସ୍ଥା କରାଯାଇଛି ।

View All Web News